ଅନୁଚ୍ଛେଦ ଅନୁଯାୟୀ ପ୍ରଶ୍ନ ଗୁଡିକର ଉତ୍ତର ଦିଅ।
କାହାକୁ ମୋର ଜନ୍ମଭୂମି ବୋଲି କହିବି ? ଏହି ବିଶାଳ ପୃଥିବୀ, ବିଶାଳ ଏସିଆ ମହାଦେଶ, ବିଶାଳ ଭାରତବର୍ଷ, ଓଡ଼ିଶା ଦେଶ ବା ମୋର ଜନ୍ମସ୍ଥାନ ପଲ୍ଲୀଗ୍ରାମ ? ଏମାନଙ୍କ ମଧ୍ୟରୁ କେହି କାହାରିଠାରୁ ବିଚ୍ଛିନ୍ନ ହୋଇନଥିବାରୁ ବ୍ୟାପକ ଅର୍ଥରେ ସମସ୍ତେ ମୋର ଜନ୍ମଭୂମି ହେଲେ ହେଁ, ମାତୃଗର୍ଭରୁ ପଡ଼ି ଯେଉଁଠାରେ ପ୍ରଥମେ ଭୂମି ସ୍ପର୍ଶ କଲି - ଯେଉଁଠାରେ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ପାଇଲି - ବିଷମ ବିପାକବେଳେ ଯେ ଅଞ୍ଚଳରୁ ଫଳ, ପୁଷ୍ପ, ଶାକ, ତଣ୍ଡୁଳ ଢାଳିଦେଇ ଶିଶୁପ୍ରାଣକୁ ପରିପୁଷ୍ଟ କଲି, ସେହି ପଲ୍ଲୀ ହିଁ ମୋର ଜନ୍ମଭୂମି, ସେହି ମୋର ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ। ଆୟୁସୂର୍ଯ୍ୟ ଯେତେ ବେଶି ଗଡିଚାଲିଛି, ତା ସହିତ ମୋର ସମ୍ବନ୍ଧ ସେତେ ବେଶି ଘନିଷ୍ଠ ହେବାର କଥା। କିନ୍ତୁ ଏ ସମ୍ବନ୍ଧ ଦିନକୁ ଦିନ କ୍ଷୀଣ ହୋଇ ଯେପରି ଲୀନହେବାକୁ ବସିଛି। ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସିଚାଲିଛି। ଆଜି ମୁଁ ତାର ରୂପକୁ ଜାତିସ୍ମର ପରି ଖାଲି ସ୍ମରଣ କରେ। ରାଶି ରାଶି ଶାଳତରୁ ମଧ୍ୟରେ ତଟିନୀ - ବେଷ୍ଟିତ ଭଞ୍ଜ - କୀର୍ତ୍ତି - କିରୀଟିନୀ ମୋର ଜନ୍ମଭୂମି ମୋ' ଆଖ୍ ଆଗରେ ଭାସିଯାଏ, କିନ୍ତୁ ତାର କୋଳକୁ ଫେରିଯିବାପାଇଁ ମୋର ସାହସ ହୁଏ ନାହିଁ।