Comprehension Passage
ମହାବୀର ଜୈନଧର୍ମର ପ୍ରଚାରକ ଥିଲେ । ଜୈନଧର୍ମର ପରମ୍ପରା ଅନୁଯାୟୀ ତାଙ୍କ ପୂର୍ବରୁ 23 ଜଣ ତୀର୍ଥଙ୍କର ସେମାନଙ୍କର ବାଣୀ ପ୍ରଚାର କରିଥିଲେ । ସେମାନଙ୍କ ମଧ୍ୟରେ ରଷଭନାଥ ହେଉଛନ୍ତି ପ୍ରଥମ ତୀର୍ଥଙ୍କର ଏବଂ ମହାବୀର 24ତମ ତୀର୍ଥଙ୍କର । ମହାବୀରଙ୍କ ପୂର୍ବବର୍ତ୍ତୀ ତୀର୍ଥଙ୍କର ପାର୍ଶ୍ଵନାଥ କାଶୀରାଜା ଅଶ୍ମସେନଙ୍କ ପୁତ୍ର ଥିଲେ । ସେ ମହାବୀରଙ୍କ 250 ବର୍ଷ ପୂର୍ବେ ଆର୍ବିଭୂତ ହୋଇଥିଲେ । ସେ ଜୈନଧର୍ମର ଚାରିଗୋଟି ନୀତି ପ୍ରଚାର କରିଥିଲେ । ସେଗୁଡିକ ହେଲା ଜୀବପ୍ରତି ହିଂସା ଆଚରଣ ନ କରିବା, ମିଥ୍ୟା ନ କହିବା, ଚୋରି ନ କରିବା ଓ ସମ୍ପତ୍ତି ପ୍ରତି ଅନାଗ୍ରହା ହେବା । ତେଣୁ ପାର୍ଶ୍ଚନାଥଙ୍କ ପ୍ରଚାରିତ ଧର୍ମକୁ “ଚତୁର୍ଯ୍ୟାମ ଧର୍ମ' କୁହାଯାଉଥିଲା । ମହାବୀର ସେଥିରେ ଆଉ ଏକ ନୀତି ବ୍ରହ୍ମଚାର୍ଯ ଯୋଗ କରିବାରୁ ଏହା “ପଞ୍ଚଯାମ ଧର୍ମ" ରେ ପରିଣତ ହୋଇଥିଲା | ଏହି ପାଞ୍ଚଟି ନୀତିକୁ ଜୈନମାନେ “ ପଞ୍ଚ ମହାବ୍ରତ" ଭାବରେ ପାଳନ କରିଥାନ୍ତି । ମହାବୀର ଥିଲେ ପାର୍ଶ୍ଚନାଥଙ୍କ ପ୍ରଚାରିତ ଧର୍ମର ସଂସ୍କାରକ ଓ ପ୍ରଚାରକ । ସେ ବୈଶାଳୀ ନଗରର କୁନ୍ଦଗ୍ରାମର ଏକ କ୍ଷତ୍ରିୟ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମବେଳେ ତାଙ୍କ ନାମ ଥିଲା ବର୍ଦ୍ଧମାନ । ତାଙ୍କ ପିତାଙ୍କ ନାମ ଥିଲା ସିଦ୍ଧାର୍ଥ ଏବଂ ମାତାଙ୍କ ନାମ ତ୍ରିଶଳା । ବର୍ଦ୍ଧମାନ ଯଶୋଦା ନାମ୍ନୀ ଏକ କନ୍ୟାଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ କନ୍ୟା ଜାତ ହୋଇଥଲା । ସେ 30 ବର୍ଷ ବୟସରେ ସତ୍ୟର ସନ୍ଧାନ ପାଇଁ ଗୃହ ତ୍ୟାଗକରି ଦୀର୍ଘ 12 ବର୍ଷ କଠୋର ସାଧନାରେ ସମୟ କଟାଇଥିଲେ । ତ୍ରୟୋଦଶ ବର୍ଷ, ଅର୍ଥାତ୍ ଜୀବନର 42 ବର୍ଷ ବୟସରେ ସେ ଦିବ୍ୟଜ୍ଞାନ ଲାଭ କରିଥିଲେ । ସେ ପ୍ରକୃତ ଜ୍ଞାନର ଅଧିକାରୀ ହୋଇଥିବାରୁ ତାଙ୍କୁ “ଜିନ" ଶବ୍ଦରୁ ତାଙ୍କର ପ୍ରଚାରିତ ଧର୍ମକୁ ଜୈନଧର୍ମ କୁହାଯାଏ । ସେ ଇନ୍ଦ୍ରିୟମାନଙ୍କ ଉପରେ ଜୟଲାଭ କରିଥିବାରୁ ତାଙ୍କୁ ମହାବୀର କୁହାଗଲା । ମହାବୀର ବିଭିନ୍ନ ସ୍ଥାନ ବୁଲି ଜୈନଧର୍ମ ପ୍ରଚାର କରିଥିଲେ । ସେ ମଧ୍ୟରେ ରାଜା ବିମ୍ବାସାର ଓ ଅଜାତଶତ୍ରୁଙ୍କୁ ଜୈନଧର୍ମ ପ୍ରତି ଆକୃଷ୍ଟ କରାଇଥିଲେ । ଦୀର୍ଘ 30 ବର୍ଷ କାଳ ମଗଧ, ଅବନ୍ତୀ, ବୈଶାଳୀ, ମିଥୁଳା, ଶ୍ରାବସ୍ତୀ ଇତ୍ୟାଦି ସ୍ଥାନମାନଙ୍କରେ ନିଜର ଧର୍ମ ପ୍ରଚାର କରି 72 ବର୍ଷ ବୟସର ପାବା ନାମକ ସ୍ଥାନରେ ଦେହତ୍ୟାଗ କରିଥିଲେ । ସରଳ ଓ ନିରାଡମ୍ବର ଜୀବନଯାପନ କରିବା ଉପରେ ମହାବୀର ବିଶ୍ୱାସ କରୁଥିଲେ । ସେ ଈଶ୍ୱରଙ୍କ ସ୍ଥିତି, ଯାଗଯଜ୍ଞ, ଧର୍ମବିଧ୍, ପଶୁବଳି ଓ ଜାତିଭେଦକୁ ବିଶ୍ୱାସ କରିନଥିଲେ । ସେ କହୁଥିଲେ , ପ୍ରତ୍ୟେକ ଜୀବ ପ୍ରତି ଶ୍ରଦ୍ଧା ଓ ଦୟା ପ୍ରଦର୍ଶନ କରିବା ମନୁଷ୍ୟର ଧର୍ମ । ଅହିଂସା ଜୈନଧର୍ମର ମୂଳମନ୍ତ୍ର ଥିଲା । ଜୈନଧର୍ମର ଲୋକମାନେ ଅହିଂସାକୁ ଅତି କଠୋର ପାଳନ ଭାବରେ ପାଳନ କରନ୍ତି । ଏପରି କି ସେମାନେ ରାତିରେ ଦୀପ ନ ଜାଳିବା, ମୁହଁ ଓ ନାକକୁ କନାରେ ଘୋଡାଇ ରଖିବା , ଧୀର ଗତିରେ ଚାଲିବା, ଇତ୍ୟାଦି ଉପରେ ବିଶ୍ୱାସ କରନ୍ତି । କାରଣ ଏହାଦ୍ୱାରା କୀଟ, ପତଙ୍ଗ, ଆଦିଙ୍କର ଜୀବନ ନାଶ ହେବ ନାହିଁ । ମହାବୀର ପୁନର୍ଜନ୍ମରେ ବିଶ୍ମାସ କରୁଥିଲେ । ପୁନର୍ଜନ୍ମର ମୁକ୍ତି ପାଇବା ପାଇଁ ସେ ତିନିଗୋଟି ମାର୍ଗ ଅବଲମ୍ବନ କରିବାକୁ ଉପଦେଶ ଦେଇଥିଲେ, ଯଥା- ସତ୍ ବିଶ୍ୱାସ , ସତ୍ ଜ୍ଞାନ ଓ ସତ୍ କାର୍ଯ୍ୟ | ଏହାକୁ ଜୈନ "ତ୍ରିରନ୍" କୁହାଯାଏ | ମହାବୀର କର୍ମବାଦ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ପ୍ରତ୍ୟେକଙ୍କର ସୁକର୍ମ ଓ କୁକର୍ମ ଉପରେ ତା'ର ପୁନର୍ଜନ୍ମ ନିର୍ଭର କରେ । ସୁକର୍ମ କଲେ ପୁନର୍ଜନ୍ମ ହେବ ନାହିଁ । ଆତ୍ମସଂଯମ, ଶୁଦ୍ଧପୂତ ଆଚରଣ ଓ ନୀତିମୟ ଜୀବନଯାପନ ଦ୍ୱାରା ଆତ୍ମା ମୁକ୍ତି ଲାଭ କରେ । ଆତ୍ମାର କର୍ମବନ୍ଧନରୁ ମୁକ୍ତି ହେଉଛି ନିର୍ବାଣ । ଜୈନଧର୍ମବଲମ୍ବୀଙ୍କ ପ୍ରଧାନ ଲକ୍ଷ୍ୟ ହେଲା ନିର୍ବାଣ । ଏହା କେବଳ ଉପବାସ, ଧ୍ୟାନ ଓ କଠୋର ସଂଯମ ଦ୍ୱାରା ସମ୍ଭବ ହୋଇପାରିବ ।
ମହାବୀରଙ୍କୁ “ଜିନ" କାହିଁକି କୁହାଗଲା ?
1
ଇନ୍ଦ୍ରିୟମାନଙ୍କ ଉପରେ ଜୟଲାଭ କରିଥିବାରୁ
2
ଜୈନଧର୍ମ ପ୍ରଚାର କରିଥିବାରୁ
3
ସେ ପ୍ରକୃତ ଜ୍ଞାନର ଅଧିକାରୀ ହୋଇଥିବାରୁ
4
ଉଲ୍ଲଖିତ କୌଣସିଟି ନୁହେଁ